ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୧୨/୦୯: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ । ନୀଳଚକ୍ର ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି । ସେପଟେ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏବେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଏଇ ମାସ କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତର କରାଯିବ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ସେହିପରି ଧାଡ଼ି ଦର୍ଶନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତର ପାଇଁ ଏକ ରିଜଲ୍ୟୁସନ ଆସିବ । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ । ତୁରନ୍ତ ହୁଣ୍ଡି ସ୍ଥାନାନ୍ତର ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।