ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପ୍ରସ୍ତୁତି, ସମସ୍ତ ବିଏମସି ଅଧିକାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର,୨୬/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନ ମୋଡ୍‌ରେ ପ୍ରଶାସନ। ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରରେ ଜୋରଦାର ହୋଇଛି ପ୍ରସ୍ତୁତି। ଜରୁରୀ ବୈଠକ ଡାକି ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ସମସ୍ତ ବିଏମସି ଅଧିକାରୀଙ୍କ ଛୁଟି ବାତିଲ୍‌ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା କଲେ JE ଓ AEଙ୍କ ବିରୋଧରେ ନିଲମ୍ବନ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି। ବାତ୍ୟା ସମୟରେ ଜଳବନ୍ଦୀ ସମସ୍ୟା ଓ ରାସ୍ତା ଅବରୋଧ ରୋକିବା ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ତୋରଣ, ରାସ୍ତା ମଝିରେ ଥିବା ବାଉଁଶ ଏବଂ ଅସ୍ଥାୟୀ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପମ୍ପ ଓ ଅପରେଟର ମୁତୟନ ସହ ରାତିରେ ମଧ୍ୟ ପମ୍ପ ଚାଲୁ ରଖିବାକୁ କୁହାଯାଇଛି। ପ୍ରତି ୱାର୍ଡରେ ଜଣେ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମୁଖ୍ୟ ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ବାତ୍ୟାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ହଟାଇବା ପାଇଁ ୯ରୁ ୧୦ଟି ଟିମ୍‌ ପ୍ରସ୍ତୁତ ରହିବେ। ଆବଶ୍ୟକ ପଡ଼ିଲେ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଅନ୍ୟପଟେ ବିଦ୍ୟୁତ୍‌ କାଟ୍‌ ସମ୍ପର୍କରେ ଆଗୁଆ ସୂଚନା ଦେବ TPCODL। ଅବହେଳା ଯୋଗୁଁ କୌଣସି ଅଘଟଣ ଘଟିଲେ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପୂରା ପ୍ରସ୍ତୁତ। ୧୩୦୦ ଅଗ୍ନିଯୋଦ୍ଧାଙ୍କୁ ନିୟୋଜିତ କରାଯିବା ସହ ୨୨୫ଟି ଟିମ୍‌ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଭୁବନେଶ୍ୱରରେ କମାଣ୍ଡ ସେଣ୍ଟର ରହିଛି।

Leave a Reply

Your email address will not be published. Required fields are marked *