ଭୁବନେଶ୍ୱର,୦୬/୦୫: ପଥର ସନ୍ଧିରେ ଫସିଯାଇଥିବା ନାବାଳକ ଶିବ ପ୍ରଧାନ ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ନୟାଗଡ଼ ଜିଲ୍ଲା କାଣିପଡ଼ା ଜଙ୍ଗଲରେ ଥିବା ଏକ ପଥରସନ୍ଧିରୁ ନାବାଳକକୁ ଅଗ୍ନିଶମବାହିନୀର କର୍ମଚାରୀମାନେ ସଫଳତାର ସହିତ ଉଦ୍ଧାର କରିଛନ୍ତି। ନାବାଳକକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୮ଘଣ୍ଟା ପରିଶ୍ରମ କରିଛନ୍ତି। ତାକୁ ଉଦ୍ଧାର କଲା ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।
ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ଓଡ଼ଗାଁ ଥାନା ଅଧୀନ ଶରଧାପୁର ପଞ୍ଚାୟତ ଚୋରଖୋଲ ପାହାଡ଼କୁ ଆଜି ସକାଳ ପ୍ରାୟ ୭ଟାରେ ବଡ଼ବାପା ରାମ ପ୍ରଧାନଙ୍କ ସହିତ ଶିବ ମହୁ ସଂଗ୍ରହ କରିବାକୁ ଯାଇଥିଲା। ପାହାଡ଼ର ଶିଖରରେ ଥିବା ଏକ ପଥରସନ୍ଧିରେ ସେମାନେ ଏକ ମହୁଫେଣା ଦେଖିଥିଲେ। ଏହି ମହୁଫେଣା ଆଣିବା ପାଇଁ ସେମାନେ ଉଦ୍ୟମ କରିଥିଲେ। ପଥରସନ୍ଧି ଭିତରେ ମହୁଫେଣା ଥିବାରୁ ଏହାକୁ ବାହାରକୁ ଆଣିବା କଷ୍ଟସାଧ୍ୟ ଥିଲା। କିନ୍ତୁ ଶିବ ସାହାସ ଦେଖାଇ ପଥରସନ୍ଧି ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ପଥର ସନ୍ଧି ଭିତରେ ମୁହଁ ପଶାଇ ଦେଇ ସେଠାରୁ ଆଉ ବାହାରି ପାରି ନଥିଲା।
ସୂଚନା ପାଇ ଦମକଳ ବାହିନୀର ଓଡ଼ଗାଁ, ନୟାଗଡ଼ ଏବଂ ଭୁବନେଶ୍ବରରୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରାୟ ୮ ଘଣ୍ଟା ପରେ ଶିବକୁ ଉଦ୍ଧାର କରାଯାଇଥିଲା। ଶିବକୁ ଉଦ୍ଧାର ପରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶିବ ଯେଉଁ ପଥରସନ୍ଧିରେ ଫସିଥିଲା, ସେଠାରୁ ପ୍ରାୟ ୧୫ ଫୁଟ ଦୂରରେ ଏକ ବିଶାଳ ଅଜଗର ଥିଲା। ସୌଭାଗ୍ୟ ବଶତଃ ସାପଟି ଶିବର କୌଣସି କ୍ଷତି କରିନଥିଲା।