ଭୁବନେଶ୍ୱର,୦୯/୦୯: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁ ଅଞ୍ଚଳରେ ଏହି ରୋଗ ଚିହ୍ନଟ ହେଉଛି, ସେଠାକୁ ତୁରନ୍ତ ଡାକ୍ତରୀ ଟିମ୍ ପଠାଇ ରୋଗୀଙ୍କ ଚିକିତ୍ସା, ନମୁନା ସଂଗ୍ରହ ଓ ସ୍ଥିତିର ନିରୀକ୍ଷଣ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ସ୍କ୍ରବ୍ ଟାଇଫସ୍ର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେହି ଗାଇଡ୍ଲାଇନ୍ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି। ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ସମୟୋପଯୋଗୀ ଚିକିତ୍ସା ଯୋଗାଇବା ସହ ରୋଗର ପ୍ରସାର ରୋକିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ, ସଂକ୍ରମିତ ଅଞ୍ଚଳରେ ସର୍ଭେଲାନ୍ସ ବଢ଼ାଯିବା ସହ ଜନସାଧାରଣଙ୍କୁ ସଚେତନ କରାଯିବ । ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରୀ ଟିମ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ଆବଶ୍ୟକ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।