ଭୁବନେଶ୍ୱର,୦୮/୦୭: ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଗଠନ ହେଲା ପ୍ରତ୍ୟେକ ରଥର ନିର୍ଦ୍ଦେଶକ ଦଳ ଓ ବୈଷୟିକ ଦଳ । ଏସ୍ପି ପ୍ରତୀକ ସିଂହଙ୍କୁ ତାଳଧ୍ବଜ ରଥ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ମିଳିଛି ନନ୍ଦିଘୋଷ ରଥ ଦାୟିତ୍ୱ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କୁ ଦେବଦଳନ ରଥ ଦାୟିତ୍ୱ ଦିଆଯାଇଛି । ତାଳଧ୍ବଜ ରଥ ନିର୍ଦ୍ଦେଶକ ଦଳରେ ୧୧ ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ଥିବା ବେଳେ ଦେବଦଳନ ରଥରେ ନିର୍ଦ୍ଦେଶକ ଦଳରେ ୧୨ ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ରହିଛନ୍ତି । ସେହିପରି ନନ୍ଦିଘୋଷର ନିର୍ଦ୍ଦେଶକ ଦଳରେ ୧୩ ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ରହିଛନ୍ତି । ଏମାନେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥ ଟଣା ସମୟରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ। ଏହା ବାଦ୍ ପରମ୍ପରା ଅନୁସାରେ ରଥଟଣାରେ ତାଳଧ୍ବଜା ଓ ଦେବଦଳନ ରଥରେ ସର୍ବାଧିକ ୨୫ ଜଣ ମହାରଣା ସେବକ, ୨ ଜଣ ରୂପକାର ସେବକ, ୨୫ ଜଣ ଭୋଇ ସେବକ ରହିବେ । ନନ୍ଦିଘୋଷରେ ସର୍ବାଧିକ ୨୭ ଜଣ ମହାରଣା ସେବକ, ୩ ଜଣ ରୂପକାର ସେବକ ଓ ୨୬ ଜଣ ଭୋଇ ସେବକ ଉପସ୍ଥିତ ରହିବେ । ପ୍ରତି ରଥରେ ଦୁଇ ଜଣ ଲେଖାଏଁ ପତାକାଧାରୀ ମୁତୟନ ହୋଇ ରଥର ଗତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ନିର୍ଦେଶ ଦେବେ ।