ଭୁବନେଶ୍ୱର,୧୭/୦୪: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛି ଓଡ଼ିଶା। ରାଜ୍ୟରେ ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ତେବେ ଅପରାହ୍ନରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିପାରେ । ଆଜି ଗରମ ଓ ଗୁଳୁଗୁଳି ସହ କାଳବୈଶାଖୀ ବର୍ଷାର ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଆଜି ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୩ ଜିଲ୍ଲାରେ ଝଡ଼ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ତାପମାତ୍ରା ଆହୁରି ବଢ଼ିବ । ଗତକାଲି ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ନିଆଁ ବର୍ଷା ହୋଇଛି। ରାଜ୍ୟର ୧୪ଟି ସ୍ଥାନରେ ୪୦ ଡିଗ୍ରୀ ପାର କରିଛି ପାରଦ। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ଛୁଇଁଥିଲା। ସେହିଭଳି ଝାରସୁଗୁଡ଼ାରେ ପାରଦ ୪୩.୬ ଡିଗ୍ରୀ ଥିଲା। ହୀରାକୁଦ, ସମ୍ବଲପୁର, ଭବାନୀପାଟଣା ଓ ବଲାଙ୍ଗିର ଭଳି ସ୍ଥାନରେ ୪୨ ଡିଗ୍ରୀ ଅତିକ୍ରିମ କରିଛି ତାପମାତ୍ରା। ନୂଆପଡ଼ା, ରାଉରକେଲା, ସୁନ୍ଦରଗଡ଼ରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ମୋଟ ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ।