ନୂଆଦିଲ୍ଲୀ,୨୩/୦୭: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଫେରାଇବାକୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ଲିକ୍ ଭଳି ମାମଲାର ତ୍ୱରିତ ଶୁଣାଣି ପାଇଁ ଖୁବଶୀଘ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହି ସ୍ୱତନ୍ତ୍ର କୋର୍ଟରେ ନିଟ୍ ପ୍ରଶ୍ନପତ୍ର ଲିକ୍ ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି ହେବ । ଦୀର୍ଘ ସମୟ ଧରି ମାମଲା ଝୁଲି ରହିବ ନାହିଁ । ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ଦ୍ରୁତ କରାଯିବ, ଯାହାଦ୍ୱାରା ଦୋଷୀମାନେ ଆଇନର ଫାଙ୍କରୁ ଖସି ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି, ସେମାନଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ପ୍ରମାଣିତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ଏବଂ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ଫେରାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ।