ଗ୍ୟାଙ୍ଗଟକରେ ଯୁବବର୍ଗମାନଙ୍କ ସହିତ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ସେ ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସର ସମାପନୀ ଉତ୍ସବରେ ଯୋଗଦେବେ । ଏହା ପୂର୍ବରୁ, ସେ ସକାଳୁ ସକାଳୁ ରାଜଧାନୀ ଗ୍ୟାଙ୍ଗଟକରେ ଯୁବବର୍ଗମାନଙ୍କ ସହିତ ଫୁଟବଲ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏହି ଅଭିଜ୍ଞତାକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗ୍ୟାଙ୍ଗଟକରେ ଆଜି ସକାଳ ବହୁତ ସ୍ୱତନ୍ତ୍ର ଥିଲା, ଏବଂ ସିକିମର ଯୁବବର୍ଗମାନଙ୍କ ସହିତ ଫୁଟବଲ ଖେଳିବା ଏକ ସ୍ମରଣୀୟ ଅଭିଜ୍ଞତା ଥିଲା। ସେ ଏହା ମଧ୍ୟ କହିଛନ୍ତି, ଯୁବବର୍ଗମାନଙ୍କ ସହିତ ଏହା ଏକ ସୁନ୍ଦର ଖେଳ ଅଧିବେଶନ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସନ୍ଧ୍ୟାରେ ଗ୍ୟାଙ୍ଗଟକରେ ପହଞ୍ଚିଥିଲେ, ଯେଉଁଠାରେ ସେ ଏକ ରୋଡ୍ ସୋ କରିଥିଲେ। ତାଙ୍କ ରାଲି ହେଲିପ୍ୟାଡ୍‌ରୁ ଲୋକଭବନ ଅଭିମୁଖେ ଯାତ୍ରା କରିଥିଲା, ତାଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ ସମୟରେ ଗ୍ୟାଙ୍ଗଟକର ଅର୍କିଡାରିୟମ୍ ମଧ୍ୟ ପରିଦର୍ଶନ କରି ‘ସ୍ୱର୍ଣ୍ଣ ଜୟନ୍ତୀ ମୈତ୍ରୀ ମଞ୍ଜରୀ ପାର୍କ’ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।