ଭୁବନେଶ୍ୱର,୦୫/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସ (SRCC) ର ଶତାବ୍ଦୀ ସମାରୋହରେ ଯୋଗଦେବା ପାଇଁ ସେ ମେଟ୍ରୋ ଯୋଗେ ଯାତ୍ରା କରିଥିଲେ । ମେଟ୍ରୋ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅତି ନିକଟରୁ ପାଇ ସାଧାରଣ ଯାତ୍ରୀ ଏବଂ ବିଶେଷ କରି ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଦେଖାଯାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଯାତ୍ରୀମାନଙ୍କ ସହ ମିଳାମିଶା କରିଥିଲେ ଏବଂ ସେମାନଙ୍କ ସହ ବିଭିନ୍ନ ବିଷୟରେ କଥାବାର୍ତ୍ତା କରିଥିଲେ । ଦେଶର ବାଣିଜ୍ୟ ଏବଂ ଅର୍ଥଶାସ୍ତ୍ର ଶିକ୍ଷା କ୍ଷେତ୍ରରେ SRCC ଏକ ଅଗ୍ରଣୀ ଅନୁଷ୍ଠାନ । ଏହି କଲେଜ ଆଜି ତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଶତାବ୍ଦୀ ସମାରୋହ ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।