ଡେଙ୍ଗୁ ରୋକିବାକୁ ପଶ୍ଚିମବଙ୍ଗରେ ନୂଆ ପଦକ୍ଷେପ, ପରିବର୍ତ୍ତନ ହୋଇପାରେ ସ୍କୁଲ ୟୁନିଫର୍ମ !

ନୂଆଦିଲ୍ଲୀ,୦୫/୦୯: ଡେଙ୍ଗୁ ରୋକିବାକୁ ପଶ୍ଚିମବଙ୍ଗରେ ନୂଆ ପଦକ୍ଷେପ । ମଶା କାମୁଡ଼ାରୁ ସ୍କୁଲ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ୟୁନିଫର୍ମରେ ଅସ୍ଥାୟୀ ପରିବର୍ତ୍ତନ ପାଇଁ ଅପିଲ୍ କରିଛନ୍ତି ପଶ୍ଚିମବଙ୍ଗର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଶାରଦ୍ୱତ ମୁଖାର୍ଜୀ । ବିଶେଷକରି ଡେଙ୍ଗୁର ପ୍ରଭାବ ଅଧିକ ଥିବା ଆଗାମୀ ତିନି ମାସ ପାଇଁ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ପୂରା ଢାଙ୍କି ରହିବା ଭଳି ପୋଷାକ ପିନ୍ଧାଇବାକୁ ସ୍କୁଲଗୁଡ଼ିକୁ ଅନୁରୋଧ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ସ୍ୱାସ୍ଥ୍ୟ ଭବନରେ ହୋଇଥିବା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ଅପିଲ୍ କରିଛନ୍ତି। ତାଙ୍କ କହିବା ଅନୁସାରେ, ଆଗାମୀ ତିନି ମାସ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ପିଲାମାନେ ଯେପରି ମଶା କାମୁଡ଼ାରୁ ଅଧିକ ସୁରକ୍ଷିତ ରହିପାରିବେ, ସେଥିପାଇଁ ସ୍କୁଲଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ । ମନ୍ତ୍ରୀ ସ୍କୁଲର ଶିକ୍ଷକ, ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ଅପିଲ୍ କରି କହିଛନ୍ତି, ଏହି ସମୟରେ ପିଲାଙ୍କୁ ଫୁଲ୍ ସ୍ଲିଭ୍‌ ଶାର୍ଟ ଓ ଫୁଲ୍ ଲେଙ୍ଗ୍‌ଥ ପ୍ୟାଣ୍ଟ ପିନ୍ଧିବାକୁ ଅନୁମତି ଦିଆଯାଉ । ଯେଉଁ ସ୍କୁଲରେ ଝିଅମାନେ ସ୍କର୍ଟ ପିନ୍ଧନ୍ତି, ସେଠାରେ ସ୍କର୍ଟ ବଦଳରେ ଗୋଡ଼ ଢାଙ୍କି ରହୁଥିବା ସାଲୱାର ସୁଟ୍ ପିନ୍ଧିବାକୁ ଅନୁମତି ଦେବାକୁ ମଧ୍ୟ ସେ କହିଛନ୍ତି । ତେବେ ମଶା କାମୁଡ଼ାରୁ ବଞ୍ଚିବା ପାଇଁ ନି-ହାଇ ସକ୍ସ ପିନ୍ଧାଇବା ପ୍ରସ୍ତାବକୁ ମନ୍ତ୍ରୀ ଉପଯୁକ୍ତ ବିକଳ୍ପ ମାନିନାହାନ୍ତି । ତାଙ୍କ ଯୁକ୍ତି ହେଉଛି, ଏଭଳି ସକ୍ସ ପତଳା ହୋଇଥିବାରୁ ତାହା ମଶା କାମୁଡ଼ାକୁ ସମ୍ପୂର୍ଣ୍ଣ ରୋକିପାରିବ ନାହିଁ। ତେଣୁ ହାତ ଓ ଗୋଡ଼କୁ ଭଲ ଭାବରେ ଢାଙ୍କି ରଖୁଥିବା ପୋଷାକ ହିଁ ଅଧିକ ପ୍ରଭାବୀ ବୋଲି ସେ ଗୁରୁତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *