ନୂଆଦିଲ୍ଲୀ,୧୯/୦୭: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳନା ପାଇଁ ସରକାର ଅପିଲ୍ କରିଥିଲେ ମଧ୍ୟ ବିରୋଧୀ ଦଳ ନିଜ ଜିଦରେ ଅଟଳ ଥିଲେ । ବିଶେଷକରି ତୃଣମୂଳ କଂଗ୍ରେସ (TMC) ର ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯିବାକୁ ନେଇ ଟିଏମସି ସାଂସଦମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ବୈଠକ ବର୍ଜନ କରିଥିଲେ । ଟିଏମସିର ଏହି ପ୍ରତିବାଦକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ କରି ସରକାରଙ୍କ ଉପରେ ବର୍ଷିଛନ୍ତି ।