ଭୁବନେଶ୍ୱର,୧୬/୦୯: ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ନନ୍ଦନକାନନରେ ବୈଷୟିକ କମିଟି ଅନୁଧ୍ୟାନ କରୁଛି । ପିସିସିଏଫ୍ (ୱାଇଲ୍ଡଲାଇଫ୍) ଓଡ଼ିଶାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତପୋଷା ଓ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ । ସମସ୍ତ ଜୈବ-ସୁରକ୍ଷା ନିୟମ ପାଳନ କରି କମିଟି ସଦସ୍ୟମାନେ କ୍ୱାରେଣ୍ଟାଇନ୍ ଅଞ୍ଚଳ ବୁଲି ଦେଖିଥିଲେ । ଏହାସହ ପାଞ୍ଚଟି ଶିଶୁ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଆଜି ଅଧିକ ଅନୁଧ୍ୟାନ ଓ ଆଲୋଚନା ପରେ କମିଟି ପକ୍ଷରୁ ପରିଦର୍ଶନର ଆକଳନ ରିପୋର୍ଟ ଦାଖଲ କରାଯିବ । ସେପଟେ ନନ୍ଦନକାନନର କାଚ ଘରେ ରହୁଥିବା ଓରାଙ୍ଗଉଟାନ୍ ଛୁଆଙ୍କୁ ଖୋଲା ଏନ୍କ୍ଲୋଜର ବା ଖୁଆଡ଼କୁ ଆଣିବା ପାଇଁ ଯୋଜନା କରାଯାଇଛି ।