ଡ୍ରେସକୋର୍ଡ ପରେ ପିଲାଙ୍କ ଆଇ କାର୍ଡର ରଙ୍ଗ ବଦଳାଇଲେ ମୋହନ ସରକାର

ଭୁବନେଶ୍ୱର,୨୮/୦୭: ପ୍ରଥମେ ଡ୍ରେସକୋର୍ଡ ଆଉ ଏବେ ଆଇ କାର୍ଡର ରଙ୍ଗ ବଦଳାଇଛନ୍ତି ମୋହନ ସରକାର । ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର । ତେବେ ଏହାସହିତ ପିଲାମାନଙ୍କ ପାଇଁ ଯେଉଁ ନୂଆ ଆଇଡି କାର୍ଡ ଡିଜାଇନ୍ କରାଯାଇଛି । ଯେଉଁଥିରେ ତାଙ୍କ ନାଁ ସହିତ , ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଆଉ ଫୋନ୍ ନମ୍ବର ରହିବ ।

ଏହା ପୂର୍ବରୁ ସରକାରକୁ ଆସିବା ପରେ ସ୍କୁଲ ପିଲାଙ୍କ ୟୁନିଫର୍ମ ବଦଳାଇଥିଲେ ସରକାର । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମେରୁନ୍ ରଙ୍ଗର ପ୍ୟାଣ୍ଟ ସାଙ୍ଗକୁ ବାଦାମୀ ରଙ୍ଗର ସାର୍ଟ କରିଥିଲେ ସରକାର । ତେବେ ପୂର୍ବରୁ ଏହା ରଙ୍ଗ ହଣ୍ଟର ଗ୍ରୀନ୍ ଥିବାବେଳେ, ଏହାକୁ ବଦଳାଇ ଦେଇଥିଲେ ମୋହନ ସରକାର । ତା ସହିତ ଲକ୍ଷ୍ମୀ ବସ୍, ଆଉ ଆମ ବସର ରଙ୍ଗ ପରିବର୍ତ୍ତନ କରିବାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି ।