ନୂଆଦିଲ୍ଲୀ,୧୬/୦୪: ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଆମେରିକା ପ୍ରତିବନ୍ଧକ ସତ୍ତ୍ୱେ ଇରାନ ଏବଂ ରୁଷରୁ ତେଲ କିଣିବା ପାଇଁ ଛାଡ ଦେଇଥିଲା ଯାହା ଏବେ ଶେଷ ହେବାକୁ ଯାଉଛି। ଆମେରିକା ଏହି ଛାଡକୁ ବୃଦ୍ଧି କରିବାକୁ ମନା କରିଦେଇଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି, ୱାସିଂଟନ ଆଉ ଛାଡ ଅବଧି ବୃଦ୍ଧି କରିବ ନାହିଁ। ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ ନାହିଁ। ରୁଷ ତେଲ ପାଇଁ ୱାସିଂଟନର ୩୦ ଦିନିଆ ଛାଡ ଅବଧି ଏପ୍ରିଲ ୧୧ ରେ ଶେଷ ହୋଇଯାଇଛି। ଅପରପକ୍ଷରେ ଇରାନୀ ତେଲ ପାଇଁ ଛାଡ଼ ଏପ୍ରିଲ ୧୯ ରେ ଶେଷ ହେବାକୁ ଯାଉଛି। ଆମେ ରୁଷ ଏବଂ ଇରାନୀ ତେଲ ପାଇଁ ସାଧାରଣ ଲାଇସେନ୍ସ ନବୀକରଣ କରିବୁ ନାହିଁ ବୋଲି ବେସାଣ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୧ ପୂର୍ବରୁ ଜାହାଜରେ ବୋଝେଇ ହୋଇଥିବା ଅବା ଆଧାବାଟରେ ଥିବା ତେଲ ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା। ସେ ସମସ୍ତ ପୁରୁଣା ତେଲ ଏବେ ବ୍ୟବହୃତ କିମ୍ବା ବିକ୍ରି ହୋଇସାରିଛି।