ଭିଜିଲାନ୍ସ ଜାଲରେ ପଡ଼ିଥିବା ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ୨୯ ଟି ପ୍ଲଟ ଠାବ

ଭୁବନେଶ୍ୱର,୧/୦୪: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜରଙ୍କ ୨୯ ଟି ପ୍ଲଟ ଠାବ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଘର ସହ ଏକକାଳନୀ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କର ଜମି କିଣିବା ନିଶା ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ବାବୁଙ୍କର ଖୋର୍ଦ୍ଧା ଜଟଣି, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ୨୯ଟି ପ୍ଲଟ୍ ଠାବ ହୋଇଛି । ୨ଟି ବହୁ ମହଲା କୋଠା, ଭୁବନେଶ୍ୱରର କଳିଙ୍ଗ ବିହାରରେ ଏକ ଫ୍ଲାଟ୍ ଠାବ ହୋଇଛି । ତାଙ୍କ ଘରୁ ୧ କିଲୋ ୧୪୦ ଗ୍ରାମ୍ ସୁନା ମିଳିଛି । ଯେଉଁଥିରେ ୬ଟି ସୁନା ମୁଦ୍ରା ଏବଂ ୨ଟି ସୁନା ବିସ୍କୁଟ୍ ରହିଛି । ଏଥିସହ ୪୮ ଲକ୍ଷ ୭୯ ହଜାର ୧୦୦ ନଗଦ ଟଙ୍କା ଆଦି ଜବତ କରିଛି ଭିଜିଲାନ୍ସ । ଏବେବି ଭଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି । ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ ।