ଓଡ଼ିଶାର ପରବର୍ତ୍ତୀ ଡିଜି ନିଯୁକ୍ତି ପ୍ରସଙ୍ଗ ମାମଲା, ୨୨ରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭/୦୯: ଓଡ଼ିଶାର ପରବର୍ତ୍ତୀ ଡିଜି ନିଯୁକ୍ତି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୨ ତାରିଖକୁ ଘୁଞ୍ଚିଛି । ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ । ଡିଜି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା କିମ୍ବା ନିୟମ ଉଲ୍ଲଂଘନ ହୋଇନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଡିଜି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ପିଆଇଏଲ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ।

ପୂର୍ବରୁ ସୁପ୍ରିମକୋର୍ଟ UPSCକୁ ଓଡ଼ିଶାର ନୂଆ ଡିଜି ଚୟନ ପାଇଁ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କହିଥିଲେ । ଏହି ମାମଲାରେ ଆବେଦନକାରୀ ପକ୍ଷରୁ ଡିଜି ପ୍ୟାନେଲ୍‌ରେ କିଛି ଅଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଯାଇଥିଲା । ଏହାର ଜବାବରେ ଏଜି ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ପକ୍ଷରୁ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା କହିଥିଲେ । ସେପଟେ ତତ୍କାଳୀନ ଡିଜି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନିୟମିତ ଡିଜି ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିଲା । ଏହି ସମୟରେ ଭିନୟତୋଷ ମିଶ୍ରଙ୍କୁ କାମଚଳା ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଆସନ୍ତା ୨୨ ତାରିଖରେ ଡିଜି ଚୟନ ପ୍ରକ୍ରିୟା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଭିମୁଖ୍ୟ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *