ଭୁବନେଶ୍ୱର,୦୫/୦୪: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜିର ବୈଠକକୁ ୧୩ଟି ବିଭାଗର ୧୯ଟି ପ୍ରସ୍ତାବ ଆସିଥିବାବେଳେ ଏହା ଉପରେ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ୧୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିବାବେଳେ ବାକି ୩ଟି ପ୍ରସ୍ତାବକୁ ଫେରାଇ ଦିଆଯାଇଛି। ରାଜ୍ୟର ରାସନ କାର୍ଡଧାରୀଙ୍କୁ ଏଣିକି ମାସକୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ଚାଉଳ ମିଳିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିଛନ୍ତି।
ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ । ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ଚର୍, ପ୍ଲାନିଙ୍ଗ୍, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।