ବିଧାନସଭାରେ ଆଜି ସ୍ୱତନ୍ତ୍ର ଅଧିବେଶନ, ଭୁବନେଶ୍ୱରରେ ସାମୟିକ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୩୦/୦୪: ବିଧାନସଭାରେ ଆଜି ସ୍ୱତନ୍ତ୍ର ଅଧିବେଶନ । ସଂସଦରେ ମହିଳା ସଂରକ୍ଷଣ ଓ ନାରୀ ଶକ୍ତି ବନ୍ଦନା ଅଧିନିୟମ ସମ୍ପର୍କରେ ବିଧାନସଭାରେ ଆଲୋଚନା ନିମନ୍ତେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୩୨ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଭୁବନେଶ୍ବର ସହରରେ ସାମୟିକ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଇଛି। ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜ୍‌ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯିବେ । ସେହିପରି ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଜୟଦେବ ଭବନ ପାଖ ଡାହାଣ ପାର୍ଶ୍ବ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ମାଷ୍ଟର କ୍ୟାଣ୍ଟିନ୍‌ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ ଲୋଏର୍‌ ପିଏମ୍‌ଜିଠୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ । ୧୨୦ ବାଟାଲିଅନ୍‌ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଦେଇ ଯିବେ। ଲୋକଭବନ ଛକପଟୁ ଏମ୍‌ଏଲ୍‌ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀନଗର ଛକଦେଇ ଯିବେ । ଏହି କଟକଣା ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ ଯାନ ପାଇଁ ଲାଗୁ ହେବ ନାହିଁ । ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟ ସରକାରୀ କାର୍ୟ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନ ପାଇଁ ଲାଗୁ ହେବନି କଟକଣା ।