ଭୁବନେଶ୍ୱର, ୨୬/୦୩:ନିଶାଗ୍ରସ୍ତ ଲୋକଙ୍କୁ କାବୁ କରିବା ପାଇଁ ନୂଆ ଅବକାରୀ ନୀତିରେ ଲାଗୁ ହୋଇଛି ବହୁ କଡ଼ା ବ୍ୟବସ୍ଥା । ଏଥିସହ ଅବକାରୀ ଶୁଳ୍କରେ ନିଶା ନିବାରଣ ସେସ୍ ଲାଗୁ ପାଇଁ ବି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ରାଜ୍ୟରେ ଆଉ ଖୋଲିବନି ନୂଆ ଠିପି ବନ୍ଦ କିମ୍ୱା ଦେଶୀ ମଦ ଦୋକାନ । ଗାଁରେ ଠିପି ଖୋଲା ଦୋକାନ ଖୋଲିବା ଉପରେ ବି ଲାଗିଛି ରୋକ୍ । ମଦମୁକ୍ତ ହେବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଚତୁର୍ପାର୍ଶ୍ୱ ।
୨୦୨୬ରୁ ୨୦୨୯ ଯାଏଁ ନୂଆ ତ୍ରୈବାର୍ଷିକ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର । ଏଥିରେ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକସନ୍ ସେସ୍ ଲାଗୁ କରାଯାଇଛି। ଏହି ସେସ୍ରୁ ଆସୁଥିବା ଆୟକୁ ମଡେଲ୍ ନିଶା ନିବାରଣ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ୀକରଣ ପାଇଁ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ। ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବଢ଼ାଯାଇଛି।