ଭୁବନେଶ୍ୱର,୨୫/୦୩: ଆଜି ମାଲକାନାଗିରି ଜିଲ୍ଲା ବନ୍ଦ । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦିନିକିଆ ବନ୍ଦ ଡାକରା ଦେଲା ଜିଲ୍ଲା କଂଗ୍ରେସ । ଚାଷୀମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି କଂଗ୍ରେସ ନେତା। ମାଲକାନାଗିରିରେ ମଣ୍ଡି ବନ୍ଦ ହେବାକୁ ବସିଲାଣି କିନ୍ତୁ ଏପର୍ଯ୍ୟନ୍ତ ବହୁ ଚାଷୀ ଧାନ ବିକି ପାରିନାହାନ୍ତି । ସେପଟେ ଶହ ଶହ କ୍ଵିଣ୍ଟାଲ ଧାନବସ୍ତା ଧରି ସମବାୟ ସମିତି କାର୍ଯ୍ୟାଳୟ ଚାଷୀଙ୍କ ଧାରଣା ।ମିଲର ପରିବର୍ତ୍ତନ ଓ ଶୀଘ୍ର ଧାନ ନେବାପାଇଁ ସରକାରଙ୍କୁ ଦାବି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସାମ୍ନାରେ ଶହଶହ କ୍ୱିଣ୍ଟାଲ ଧାନବସ୍ତା ରଖି ଚାଷୀମାନେ ଧାରଣା ଦେଇଛନ୍ତି । ବାଟଗାଁ ସମବାୟ ସମିତିରେ ଚଳିତ ବର୍ଷ ୬୭୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ୨୯ ହଜାର କ୍ୱିଣ୍ଟାଲ ଧାନ କିଣିବାପାଇଁ ସରକାରଙ୍କ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୫୨୩ ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଥିବା ବେଳେ ଆହୁରି ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ କିଣା ଯାଇନାହିଁ । ଏହାକୁ ନେଇ ଚାଷୀ ମାନେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସରକାରୀ ସ୍ତରରେ ଧାନ କିଣିବାପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।