ଭୁବନେଶ୍ୱର,୧୮/୦୯: ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ । ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ତଥା ତମାଖୁ ବ୍ୟବହାରର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମର ଉଲ୍ଲଂଘନକୁ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।