ନୂଆଦିଲ୍ଲୀ,୧୧/୦୪: ଜମ୍ମୁ ଓ କାଶ୍ମୀରଠାରୁ ଅଲଗା ହେବାର ସାତବର୍ଷ ପରେ ଶେଷରେ ଲଦାଖକୁ ମିଳିଛି ସ୍ବତନ୍ତ୍ର ଆଧାର ପରିଚୟ । କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ୨୦୧୯ରେ ଜମ୍ମୁ ଓ କାଶ୍ମୀରଠାରୁ ଅଲଗା ହୋଇଥିଲା । କିନ୍ତୁ ଲଦାଖ ବାସିନ୍ଦାଙ୍କ ଆଧାର ପରିଚୟ ପତ୍ରରେ ‘ଜମ୍ମୁ ଓ କାଶ୍ମୀର’ ଟ୍ୟାଗ୍ ରହିଥିଲା। ତେବେ ନବନିଯୁକ୍ତ ଉପରାଜ୍ୟପାଳ ଭି କେ ସାକ୍ସେନାଙ୍କ ହସ୍ତକ୍ଷେପ ପରେ ଲଦାଖ ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଜମ୍ମୁ ଓ କାଶ୍ମୀରଠାରୁ ଅଲଗା ହେବା ସତ୍ତ୍ବେ ଆଧାର କାର୍ଡ଼ରେ ରାଜ୍ୟ ସ୍ଥାନରେ ‘ଜମ୍ମୁ ଓ କାଶ୍ମୀର’ର ନାଁ ରହୁଥିଲା। ଦୀର୍ଘ ଦିନ ହେଲା ଏହି ସମସ୍ୟା ଲାଗି ରହିଥିବାବେଳେ ଉପରାଜ୍ୟପାଳ କେନ୍ଦ୍ର ଶାସିତ ପ୍ରଶାସନକୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲଦାଖ ପ୍ରଶାସନ ୟୁଆଇଡିଏଆଇ ସହିତ ଏହି ପ୍ରସଙ୍ଗରେ କଥା ହୋଇ ଆବଶ୍ୟକ ସଂଶୋଧନ କରିଥିଲେ ।