୧୫ ଘଣ୍ଟାର ଶାନ୍ତି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିନି: ଜେଡି ଭାନ୍ସ

ନୂଆଦିଲ୍ଲୀ,୧୨/୦୪: ଆମେରିକା ଏବଂ ଇରାନ ମଧ୍ୟରେ ଇସଲାମାବାଦରେ ଦୀର୍ଘ ୧୫ ଘଣ୍ଟାର ଶାନ୍ତି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିନି । ଆଲୋଚନାର ବିଫଳତା ନେଇ ଇରାନ ପ୍ରତିକ୍ରିୟା ଦେଇଛି । ତେହେରାନ ପକ୍ଷରୁ କୁହାଯାଇଛି, ଆଲୋଚନା ସମୟରେ ଆମେରିକା ଅତ୍ୟଧିକ ଏବଂ କଠୋର ସର୍ତ୍ତାବଳୀ ଲଗାଇଥିଲା, ଯାହା ଉପରେ ସହମତି ହେବା ଅସମ୍ଭବ ଥିଲା । ଇରାନ ସୂଚନା ଦେଇଛି ଆଲୋଚନାରେ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, କିନ୍ତୁ ଆମେରିକାର ମତ ଅତ୍ୟଧିକ କଠୋର ରହିଥିଲା । ଇରାନୀ ଅଧିକାରୀଙ୍କ ଅନୁଯାୟୀ, ଆମେରିକାର ଦାବି ସନ୍ତୁଳିତ ନଥିଲା, ଯାହା ଫଳରେ ଏକ ଚୁକ୍ତି ପହଞ୍ଚିବା କଷ୍ଟକର ହୋଇପଡିଛି । ଏହି ବିବୃତି ସ୍ପଷ୍ଟ ଭାବରେ ଦୁଇ ଦେଶ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଉଛି। ଆମେରିକା ନିଜର ମତରେ ଅଟଳ ରହିଛି । ଇରାନ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନି । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଦୁଃଖଦ ଖବର ହେଉଛି ଯେ ଆମେ କୌଣସି ଚୁକ୍ତିରେ ପହଞ୍ଚି ନାହୁଁ। ମୁଁ ଭାବୁଛି ଏହା ଆମେରିକା ଅପେକ୍ଷା ଇରାନ ପାଇଁ ଖରାପ ଖବର । ତେଣୁ, ଆମେ କୌଣସି ଚୁକ୍ତି ବିନା ଆମେରିକାକୁ ଫେରୁଛୁ । ସେମାନେ ଆମର ସର୍ତ୍ତାବଳୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଆଲୋଚନାରେ କୌଣସି ତ୍ରୁଟି ପାକିସ୍ତାନୀଙ୍କ ଯୋଗୁଁ ନଥିଲା । ସେମାନେ ଏକ ଚମତ୍କାର କାମ କରିଥିଲେ ଏବଂ ଆମକୁ ତଥା ଇରାନକୁ ମତଭେଦ ସମାଧାନ କରିବାରେ ଓ ଏକ ଚୁକ୍ତିରେ ପହଞ୍ଚିବାରେ ପ୍ରକୃତରେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ ।