ନୂଆଦିଲ୍ଲୀ,୧୨/୧୦: ଦିଲ୍ଲୀରେ ଧାରଣା ଓ ପ୍ରତିବାଦକୁ ନେଇ ଆସିଛି ବଡ଼ ପରିବର୍ତ୍ତନ । ଏଣିକି ଜନ୍ତର ମନ୍ତର ବଦଳରେ ଅନ୍ୟ ତିନୋଟି ସ୍ଥାନରେ ଆନ୍ଦୋଳନ ଓ ଧାରଣା କରିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ପୁଲିସ । ରାମଲୀଲା ମଇଦାନ, ବୁରାଡ଼ି ମଇଦାନ ଏବଂ ସିବିଡି ମଇଦାନକୁ ଏଥିପାଇଁ ପ୍ରସ୍ତାବିତ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । ଏନେଇ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିବା କୁହାଯାଇଛି । ଜନ୍ତର ମନ୍ତର ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦସ୍ଥଳ ଭାବେ ଦୀର୍ଘବର୍ଷ ଧରି ପରିଚିତ। ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଲୋକ ନିଜ ଦାବି ଜଣାଇବା ପାଇଁ ଏଠାରେ ଧାରଣା ଦେଇଆସୁଛନ୍ତି । ତେବେ ଏହା ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳରେ ଥିବାରୁ ଆଖପାଖରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ। ଫଳରେ ଆନ୍ଦୋଳନ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପରିଚାଳନା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥାଏ । ନୂଆ ସ୍ଥାନଗୁଡ଼ିକରେ ଧାରଣା ଓ ପ୍ରତିବାଦ କିପରି ଆୟୋଜନ କରାଯିବ, ସେନେଇ ସ୍ୱତନ୍ତ୍ର ନିୟମାବଳୀ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯିବ ବୋଲି କୁହାଯାଇଛି । ଏହି ପରିବର୍ତ୍ତନ ଦ୍ୱାରା ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ସାଧାରଣ ଲୋକଙ୍କ ଯାତାୟାତ ସୁଗମ ହେବ ବୋଲି ଆଶା ରଖାଯାଇଛି ।