ଭୁବନେଶ୍ୱର,୧୨/୧୦: ବଦଳିଲେ ଓଡ଼଼ିଶାର ରାଜ୍ୟପାଳ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜ ମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ନିଯୁକ୍ତି ନେଇ ମୋହର ମାରିଛନ୍ତି । ବ୍ରଜ ମୋହନ ରାମ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ଲଗାତାର ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ବିହାରର ପଲାମୁ ଲୋକସଭା ଆସନର ପ୍ରତିନିଧିତ୍ୱ କରୁଥିଲେ । ଜାତୀୟ ରାଜନୀତିକୁ ଆସିବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ । ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି (ଏସ୍ସି) ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ତେବେ କେବଳ ଓଡ଼ିଶା ନୁହେଁ ସିକ୍କିମର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମର ରାଜ୍ୟପାଳ ଏବଂ କେରଳମର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ ରହିଛି । ଏଥିସହ ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।