ନୂଆଦିଲ୍ଲୀ,୨୬/୦୭: ଭାରତୀୟ ଏବଂ ନେପାଳୀ ନାଗରିକଙ୍କ ପାଇଁ ନେପାଳ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେଠାରୁ ଦୁଇ ଦେଶର ନାଗରିକମାନେ ନେପାଳକୁ ଆସିବା କିମ୍ବା ସେଠାରୁ ଯିବା ସମୟରେ ନିଜ ସାଥିରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ନେଇପାରିବେ । ତେବେ ଏହି ନୋଟଗୁଡ଼ିକ ୨୦୧୬ ନଭେମ୍ବର ୯ କିମ୍ବା ତା’ପରେ ଜାରି ହୋଇଥିବା ଆବଶ୍ୟକ । ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ”ନେପାଳ ରାଷ୍ଟ୍ର ବ୍ୟାଙ୍କ” (ଏନଆରପି) ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏଥିସହ ୨୦୧୬ ନଭେମ୍ବର ୯ ପୂର୍ବରୁ ଜାରି ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବ୍ୟବହାର ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି ।ନେପାଳୀ ନାଗରିକମାନେ କେବଳ ଭାରତରୁ ନେପାଳକୁ ଭାରତୀୟ ମୁଦ୍ରା ଆଣିପାରିବେ ଏବଂ ନେପାଳରୁ କେବଳ ଭାରତକୁ ଏହି ଟଙ୍କା ନେଇପାରିବେ । ଭାରତ ବ୍ୟତୀତ ଅନ୍ୟ କୌଣସି ତୃତୀୟ ଦେଶକୁ ଏହି ମୁଦ୍ରା ନେବାଆଣିବା କରିବା ଉପରେ କଟକଣା ରହିବ । ଏହି ନୂତନ ନିୟମ ଯୋଗୁଁ ନେପାଳ ଭ୍ରମଣରେ ଯାଉଥିବା ଭାରତୀୟ ପର୍ଯ୍ୟଟକ, ବ୍ୟବସାୟୀ ଏବଂ ଦୁଇ ଦେଶ ମଧ୍ୟରେ ଯାତାୟାତ କରୁଥିବା ନାଗରିକମାନେ ବିଶେଷ ଭାବରେ ଉପକୃତ ହେବେ ।