ହୀରାକୁଦର ଖୋଲିଲା ୪ଟି ସୁଇସ ଗେଟ୍ , ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲିବା ନେଇ ସୂଚନା

ଭୁବନେଶ୍ୱର,୦୯/୦୭: ବାଜିଲା ସାଇରନ । ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ୪ଟି ସୁଇସ ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ହୀରାକୁଦ ଜଳଭଣ୍ଡାରର ପରିଚାଳନାକୁ ନେଇ ତତ୍ପର ରହିଛି ଜଳ ସମ୍ପଦ ବିଭାଗ । ବର୍ତ୍ତମାନ ଜଳଭଣ୍ଡାର ପ୍ରାୟ ୪୭ ପ୍ରତିଶତ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇଛି । ଏବେ ହୀରାକୁଦରୁ ପ୍ରାୟ ୯୪ ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଛି । ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବା ପରେ ମୋଟ ୧ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ଛଡ଼ାଯିବ । ଏହି ପାଣି ୩୬ରୁ ୪୮ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବ ବୋଲି ବିଭାଗ ଆକଳନ କରିଛି । ବନ୍ୟା ପରିଚାଳନାକୁ ନେଇ ଗତକାଲି କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଛତିଶଗଡ଼ର ୮ଟି ଷ୍ଟେସନରେ ଓଡ଼ିଶାର ୨୧ ଜଣ ଜଳ ସମ୍ପଦ ଅଧିକାରୀ ନିୟୋଜିତ ହୋଇ ସ୍ଥିତି ଉପରେ ନଜର ରଖିଛନ୍ତି । କଲମା ବ୍ୟାରେଜର ଗେଟ୍ ମଧ୍ୟ ଖୋଲାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଜଳସ୍ତର ନିୟନ୍ତ୍ରଣରେ ରହିଥିବା ସହ ଛତିଶଗଡ଼ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସହଯୋଗ ମିଳୁଥିବା ଜଣାପଡ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD) ଜୁଲାଇ ୧୩ ପରେ ପରବର୍ତ୍ତୀ ପାଣିପାଗ ଆକଳନ ଜାରି କରିବ ।

Leave a Reply

Your email address will not be published. Required fields are marked *