ଭୁବନେଶ୍ୱର,୧୪/୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ୍। ଆଜି କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହେଉଛି ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ। ସହପାଠୀ ମାନଙ୍କ ଗ୍ରହଣରେ ପ୍ରାର୍ଥୀ ମାନେ କାହିଁକି ନିର୍ବାଚନରେ ଭାଗ ନେଇଛନ୍ତି ଏବଂ ଜିତିବା ପରେ କଲେଜର ଉନ୍ନତି ପାଇଁ କଣ କରିବେ, ସେ ବିଷୟରେ ନିଜର ବ୍ଲୁପ୍ରିଣ୍ଟ୍ ଉପସ୍ଥାପନ କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ତ୍ରିମୁଖୀ ଲଢ଼େଇ ଏବିଭିପି, ବିସିଜେଡି ଓ ଏନଏସୟୁଆଇ ମଧ୍ୟରେ କଡ଼ା ଟକ୍କର। କାହାର ରହିବ ଦବଦବା, କାହା ସପକ୍ଷରେ ଯିବ ଛାତ୍ରଛାତ୍ରୀଙ୍କ ମତ? ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। କ୍ୟାମ୍ଫନିଂ ସରିବା ପରେ ଏବେ ଫୋକସରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର ମିଟିଂ। ଏହି ମଞ୍ଚରେ ପ୍ରାର୍ଥୀମାନେ ରଖିବେ ନିଜ ଆଭିମୁଖ୍ୟ, ଦେବେ ପ୍ରତିଶ୍ରୁତିର ହିସାବ। ଶିକ୍ଷା, ହଷ୍ଟେଲ, କ୍ୟାଣ୍ଟିନ, ଲାଇବ୍ରେରୀ, କ୍ୟାମ୍ପସ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ଅଧିକାର କେଉଁ ପ୍ରସଙ୍ଗକୁ କିଏ ଦେଉଛି ଗୁରୁତ୍ୱ, ତାହା ଉପରେ ରହିବ ନଜର। କିନ୍ତୁ ଏହାରି ଭିତରେ ବାଣୀବିହାରରେ ପ୍ରାର୍ଥୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ଚେୟାର ଭଙ୍ଗାରୁଜା ସହ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।