ନୂଆଦିଲ୍ଲୀ,୧୪/୧୦: ଜେଲ୍ ଗଲେ କକ୍ରୋଚ୍ ଜନତା ପାର୍ଟିର ପ୍ରମୁଖ ନେତା ସୌରଭ ଦାସ, ଆଶୁତୋଷ ରାଙ୍କା । ଅଜିଙ୍କ୍ୟ ଶିନ୍ଦେଙ୍କୁ ପ୍ରତିଷେଧମୂଳକ ଗିରଫ କରିଛି ଦିଲ୍ଲୀ ପୁଲିସ। ସୂଚନା ଅନୁଯାୟୀ, ଧାରଣା ସ୍ଥଳ ତାଲିକାରୁ ବାଦ୍ ପଡ଼ିଥିବା ଜନ୍ତର ମନ୍ତର ପରିସରକୁ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଙ୍ଗଳବାର ସକାଳେ ସିଜେପି ନେତାମାନେ ଜାତୀୟ ପତାକା ଧରି ଜନ୍ତର ମନ୍ତର ପରିସରକୁ ପ୍ରବେଶ କରିଥିଲେ। ଯାହାକୁ ନିକଟରେ ଦିଲ୍ଲୀ ପୋଲିସ ଦ୍ୱାରା ପ୍ରତିବାଦ ସ୍ଥଳ ଭାବେ ଅବୈଧ ଘୋଷଣା କରାଯାଇଥିଲା। ପୋଲିସ ଏହି ନେତାମାନଙ୍କ ବିରୋଧରେ ବେଆଇନ ଅନୁପ୍ରବେଶ, ସରକାରୀ ଆଦେଶ ଅବମାନନା ଏବଂ ଶାନ୍ତି ଭଙ୍ଗ ଅଭିଯୋଗରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ନେତାମାନଙ୍କୁ ଆସନ୍ତା ଗୁରୁବାର ଦିନ ମନ୍ଦିର ମାର୍ଗ ସ୍ଥିତ ସ୍ପେଶାଲ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି, “ଆପଣ ପ୍ରତିବାଦକୁ ବନ୍ଦ କରିପାରିବେ ନାହିଁ”। ଅନ୍ୟପଟେ ନିରାପତ୍ତା ଦୃଷ୍ଟିରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।