ଭୁବନେଶ୍ୱର,୨୦/୧୧: ଓଡ଼ିଶାର ତିନିଟି ଜିଲ୍ଲାର ମାଟି ତଳେ ସୁନା ସନ୍ଧାନ କରାଯାଇଛି। କେନ୍ଦୁଝରର ଗୋପୁର-ଜଳଡ଼ିହି, ଦେବଗଡ଼ର ଆଡାସ-ରାମପାଲି ଓ ମୟୂରଭଞ୍ଜର ମଦନାସାହି-କାଞ୍ଜିଆଠାରେ ସୁନାମିଶା ପଥର ଚିହ୍ନଟ କରାଯାଇଛି। ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ତରଫରୁ ବିଭିନ୍ନ ସ୍ତରର ଅନୁସନ୍ଧାନ ଜରିଆରେ ସୁନା ଠାବ କରାଯାଇଛି। ସେଥିରୁ ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ସୁନା ଖଣିକୁ ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ନିଲାମ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଥିବା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ସେହି ନିଲାମ ପାଇଁ ଆବଶ୍ୟକ କାର୍ଯ୍ୟ ବିଭାଗ ଦ୍ବାରା ସମ୍ପାଦନ କରାଯାଉଛି। ମନ୍ତ୍ରୀଙ୍କ ସୁଚନା ଅନୁସାରେ, ରାଜ୍ୟର କେତେକ ଅଞ୍ଚଳରେ ସୁନା ସହିତ ଅନ୍ୟାନ୍ୟ ଖଣିଜ ପଦାର୍ଥ ମିଶିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦେବଗଡ଼ର ଆଡାସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ, ରୁପା ଓ ନିକେଲର ଉପସ୍ଥିତି ଚିହ୍ନଟ କରାଯାଇଛି। ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବା ଓ ସୁନା ମିଶା ଖଣିଜ ପଦାର୍ଥ ଚିହ୍ନଟ କରାଯାଇଛି। ପ୍ରତି ଖଣିରେ ଥିବା ଖଣିଜର ପରିମାଣ, ଗୁଣବତ୍ତା ଓ ଆର୍ଥିକ ଦୃଷ୍ଟିରୁ ତାହା ଉତ୍ତୋଳନ ପାଇଁ ଉପଯୋଗୀ ନା ନାହିଁ ତାହା ବିଚାରକୁ ନେବା ପରେ ସେଗୁଡ଼ିକୁ ବାହାର କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।