ନୂଆଦିଲ୍ଲୀ,୧୯/୦୭: ଜମ୍ମୁ କାଶ୍ମୀରର ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଗତକାଲି ରାତିରେ ରାଜୌରୀ ସହରରେ ହୋଇଥିବା ମୁଷଳଧାରାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ସହରର ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି। ଜମ୍ମୁ-କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଭୟଙ୍କର ବନ୍ୟା ଏବଂ ଆକସ୍ମିକ ବନ୍ୟା ତାଣ୍ଡବ ରଚିଛି। ବନ୍ୟା ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି।ରାଜୌରୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆକସ୍ମିକ ବନ୍ୟା ଏବଂ ଖରାପ ପାଗ ଯୋଗୁଁ ୧୦ ଜଣଙ୍କ ଜୀବନ ଯାଇଛି।ଏପର୍ଯ୍ୟନ୍ତ ଉଭୟ ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଶାସନ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫର ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି, ପ୍ରଶାସନ ଜନସାଧାରଣଙ୍କୁ ନଦୀ, ଝରଣା ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ଦୂରେଇ ରହିବାକୁ ନିବେଦନ କରିଛି।