ନୂଆଦିଲ୍ଲୀ,୧୭/୦୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତାରାପୀଠ ଥାନା ନିକଟରେ ଥିବା ଏକ ହୋଟେଲରେ ଭୋର ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଅଘଟଣରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ସୂଚନା ଅନୁସାରେ, ଶ୍ରାବଣର ଶେଷ ସୋମବାର ଥିବାରୁ ତାରାପୀଠକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥିଲେ । ଫଳରେ ହୋଟେଲଟି ମଧ୍ୟ ଯାତ୍ରୀଙ୍କରେ ଭରପୂର ଥିଲା । ରାତିରେ ସମସ୍ତେ ଶୋଇଥିବା ସମୟରେ ହଠାତ୍ ନିଆଁ ଲାଗିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିବା ବେଳେ ଏବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି ।