ଲଖୀସରାୟ ଅଶୋକଧାମ ମନ୍ଦିରରେ ଦଳାଚକଟା ଘଟଣା, ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭/୦୮: ଲଖୀସରାୟ ଅଶୋକଧାମ ମନ୍ଦିରରେ ଅଘଟଣ । ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦଳାଚକଟା । ଏହି ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶ୍ରାବଣ ମାସର ତୃତୀୟ ସୋମବାର ଥିବାରୁ ଅଶୋକଧାମ ମନ୍ଦିରରେ ଭୋରରୁ ହିଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ସମୟରେ ହଠାତ୍ ଏକ ବିଦ୍ୟୁତ୍ ତାର ଖସି ପଡ଼ିଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆତଙ୍କିତ ଲୋକେ ଏପଟ ସେପଟ ଦୌଡ଼ିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ର ଚାପରେ ଅନେକ ଶ୍ରଦ୍ଧାଳୁ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆହତ ୧୨ରୁ ଅଧିକ ଲୋକଙ୍କୁ ତୁରନ୍ତ ଲଖୀସରାୟ ସଦର ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣାଟି ସକାଳ ପ୍ରାୟ ୬ଟା ୪୦ରୁ ୬ଟା ୪୫ ମଧ୍ୟରେ ଘଟିଥିଲା । ଭିଡ଼ ବଢ଼ିବାରୁ ମନ୍ଦିର ପାର୍ଶ୍ୱରେ ଥିବା ବ୍ୟାରିକେଡ୍ ଭାଙ୍ଗିଯାଇଥିଲା । ଫଳରେ ଭକ୍ତମାନେ ପରସ୍ପର ଉପରେ ପଡ଼ିଯାଇଥିଲେ ।

Leave a Reply

Your email address will not be published. Required fields are marked *