ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର, ପୁଣି ବଢ଼ିଲା ବନ୍ୟା ଭୟ

ଭୁବନେଶ୍ୱର,୧୭/୦୮: ବଢ଼ୁଛି ବୈତରଣୀ ନଦୀର ଜଳସ୍ତର । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସକାଳ ସାଢ଼େ ୭ଟାରୁ ନଦୀର ଜଳସ୍ତର ବିପଦ ସୀମା ଟପିଥିବା ସୂଚନା ମିଳିଛି । ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି । ଚମ୍ପୁଆରେ ୨୨୧.୪ ମିଲିମିଟର ଏବଂ ସ୍ୱାମପାଟଣାରେ ୯୭.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ବର୍ଷାଜଳ ବୈତରଣୀରେ ମିଶିବା ପରେ ତଳମୁଣ୍ଡରେ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ରହିଛି। ଏପଟେ ଲଗାଣ ବର୍ଷା ଓ ନଦୀର ବଢ଼ୁଥିବା ଜଳସ୍ତରକୁ ନେଇ ହାଟଡିହି ବ୍ଲକର ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ଚଳିତ ବର୍ଷା ଋତୁରେ ଏହି ଅଞ୍ଚଳରେ ତୃତୀୟ ଥର ପାଇଁ ବନ୍ୟା ଆସିବାର ଆଶଙ୍କା କରାଯାଉଛି । ତଳିଆ ଅଞ୍ଚଳର ଲୋକେ ଏବେ ନଦୀର ଜଳସ୍ତର ଉପରେ ନଜର ରଖିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଉଛି ।

Leave a Reply

Your email address will not be published. Required fields are marked *