ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା ଅକ୍‌ଭାନ୍‌ , ଧୀରେ ଧୀରେ ବଢ଼ୁଛଜି ପବନର ବେଗ

ଭୁବନେଶ୍ୱର,୨୦/୧୧: ଶେଷରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା ‘ଅକ୍‌ଭାନ୍‌’ । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ବାତ୍ୟା ‘ଅକ୍‌ଭାନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ ଏବଂ ଆଜି ପୂର୍ବାହ୍ନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଅତିକ୍ରମ କରିସାରିଥିବ ।ପାଣିପାଗ ବିଭାଗର ଆକଳନ ଅନୁସାରେ,  ବାତ୍ୟା ‘ଅକ୍‌ଭାନ୍‌’ ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅତିକ୍ରମ କରୁଛି । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଚାଲିଥିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ହରିପୁର ସମୁଦ୍ର କୂଳ ଦେଇ ବାତ୍ୟା ସ୍ଥଳଭାଗ ଅତିକ୍ରମ କରୁଥିବାରୁ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ପବନର ପ୍ରକୋପ ଦେଖିବାକୁ ମିଳିଛି ।

ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି । ବିପଦସଙ୍କୁଳ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ହିଁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ କେହି ବି ଘରୁ ବାହାରକୁ ନବାହାରିବାକୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା ଘର ଭିତରେ ସୁରକ୍ଷିତ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ସମୟରେ ଉଦ୍ଧାର ଓ ରାସ୍ତା ସଫା କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି ।

Leave a Reply

Your email address will not be published. Required fields are marked *