ଭୀଷଣ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି, ଜିରୋ କାଜୁଆଲିଟିକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର,୧୯/୧୧: ଭୀଷଣ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ବାତ୍ୟା ସମୟରେ ଯେପରି ଗୋଟିଏ ବି ଜୀବନ ନଯାଏ, ସେଥିପାଇଁ ‘ଜିରୋ କାଜୁଆଲିଟି’କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ସରକାର। SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ SRCଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଉଛି। ବିଶେଷକରି ପାହାଡ଼ିଆ ଅଞ୍ଚଳ ଓ ପାହାଡ଼ ତଳେ ରହୁଥିବା ଲୋକଙ୍କ ସୁରକ୍ଷାକୁ ଦିଆଯାଇଛି ସ୍ୱତନ୍ତ୍ର ଗୁରୁତ୍ୱ । ସ୍ଥାନାନ୍ତରଣ ପ୍ରକ୍ରିୟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଛି । ସେହିପରି ଜଗତସିଂହପୁରରୁ ୧୧ ହଜାର, ଗଜପତିରୁ ୧୫ ହଜାର ଏବଂ କନ୍ଧମାଳରୁ ୧୦ ହଜାର ୨୪୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଆଜି ରାତି ଓ ଆସନ୍ତାକାଲି ସୁଦ୍ଧା ଅନ୍ୟ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯିବ । ଏଥିସହ ଗର୍ଭବତୀ ମହିଳା, ଗୁରୁତର ରୋଗୀ ଓ ଅସହାୟ ବର୍ଗଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପାହାଡ଼ ତଳେ ଯେପରି କେହି ରହିନଯାଆନ୍ତି, ସେଥିପାଇଁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଅବଶିଷ୍ଟ ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯିବ । ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି NDRF ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜଳଭଣ୍ଡାର ଓ ଡ୍ୟାମ୍‌ଗୁଡ଼ିକର ସ୍ଥିତି ତଦାରଖ ପାଇଁ ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯାଇଛି। ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ସହ ପ୍ରତିଟି ଜୀବନର ସୁରକ୍ଷା ସୁନିଶ୍ଚିତ କରିବାକୁ ସରକାର ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *