ନୂଆଦିଲ୍ଲୀ,୨୩/୦୫: ଚୀନ୍ର ଶାନସିରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ୮୦ରୁ ଅଧିକ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଖଣିରେ ବହୁ ଶ୍ରମିକଙ୍କ ପତ୍ତା ମିଳୁନଥିବା ବୋଲି କୁହାଯାଉଛି। ରାଷ୍ଟ୍ରପତି ସି ଜିନପିଙ୍ଗ ଘଟଣାସ୍ଥଳରେ ଶୀଘ୍ର ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାର କାରଣ ତଦନ୍ତ ଏବଂ ଦୋଷୀମାନଙ୍କୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଚୀନ୍ର ସରକାରୀ ଖବର ସଂସ୍ଥା ଜିନହୁଆ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଚାଙ୍ଗଝି ସହରର ଲିଉସେନ୍ୟୁ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଖଣିରେ ପ୍ରାୟ ୨୪୭ ଜଣ ଶ୍ରମିକ କାମ କରୁଥିଲେ। ବିସ୍ଫୋରଣ କିପରି ଘଟିଲା ତାହାର ତଦନ୍ତ ଜାରି ରହିଛି।ଶାନସି ପ୍ରଦେଶକୁ ଚୀନ୍ର ମୁଖ୍ୟ କୋଇଲା ଉତ୍ପାଦନକାରୀ ପ୍ରଦେଶ ଭାବରେ ବିବେଚନା କରାଯାଏ। ୟୁନାନଠାରୁ ବଡ଼ ଏହି ପ୍ରଦେଶର ଜନସଂଖ୍ୟା ପ୍ରାୟ ୩ କୋଟି ୪୦ ଲକ୍ଷ। ଗତ ବର୍ଷ ଖଣିରୁ ୧.୩ ବିଲିୟନ ଟନ୍ କୋଇଲା ଖନନ କରାଯାଇଥିଲା। ଯାହା ଚୀନ୍ର ମୋଟ କୋଇଲା ଉତ୍ପାଦନର ପ୍ରାୟ ଏକ ତୃତୀୟାଂଶ ଥିଲା।