ସମ୍ୱଲପୁରରେ ରାଜ୍ୟର ତୃତୀୟ ଡପଲର୍ ପାଣିପାଗ ରାଡାର୍ ଷ୍ଟେସନ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬/୦୯:ପାଣିପାଗ ପୂର୍ବାନୁମାନ ନିଖୁଣ କରିବାକୁ ସମ୍ୱଲପୁରରେ ରାଜ୍ୟର ତୃତୀୟ ଡପଲର୍ ପାଣିପାଗ ରାଡାର୍ ଷ୍ଟେସନ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମୁଦ୍ରିକ ବାତ୍ୟା ଆକଳନକୁ ନିଖୁଣ କରିବା ପାଇଁ ପୂର୍ବରୁ ଗୋପାଳପୁର ଓ ପାରାଦୀପରେ ଥିଲା ଡପଲର୍ ରାଡାର୍ । ତେବେ କେବଳ ଉପକୂଳ ଓଡ଼ିଶା ନୁହେଁ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଜମାଦାରପାଲିରେ ନିର୍ମିତ ୫ ମହଲା କୋଠା ଉପରେ ରହିଛି ବିଶାଳ ଗମ୍ୱୁଜାକୃତି ରାଡାର୍ । ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏହି ରାଡାର୍ ୨୫୦ କିଲୋମିଟର ପରିଧିରେ ସଠିକ୍ ତଥ୍ୟ ଦେବ । ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ପୂର୍ବାନୁମାନ କରିପାରିବ । ୧୩ଟି ଜିଲ୍ଲାର ପାଣିପାଗ ସମ୍ପର୍କରେ ତଥ୍ୟ ଯୋଗାଇବ ଏହି ରାଡାର୍ । ତେବେ ଆଗାମୀ ଦିନରେ ରାଜ୍ୟକୁ ଆଉ ୩ଟି ଡପଲର୍ ରାଡାର୍ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ପୁରୀ ଓ ଭୁବନେଶ୍ୱରରେ ଏହା ପ୍ରତିଷ୍ଠା ହେବ । ଏଥିସହ ରାଜ୍ୟର ସ୍କୁଲ ମାନଙ୍କରେ ଅଟୋମେଟିକ ୱେଦର ସିଷ୍ଟମ ସ୍ଥାପନ ହେବ ବୋଲି ସେ କହିଛନ୍ତି । ପ୍ରାକ୍-ମୌସୁମୀ ଝଡ଼, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ଦେବ ଏହି ମେକ୍‌-ଇନ୍-ଇଣ୍ଡିଆ ଡପଲର୍ ରାଡାର୍ ।

Leave a Reply

Your email address will not be published. Required fields are marked *