ଭୁବନେଶ୍ୱର, ୩୦/୦୩: ଚୀନ କମ୍ପାନିଗୁଡ଼ିକ ଭାରତରେ ଆଉ ନିଜର ସିସିଟିଭି ବିକ୍ରି କରିପାରିବେ ନାହିଁ। ସେମାନଙ୍କ ସିସିଟିଭିକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଚୀନର ପ୍ରମୁଖ ସିସିଟିଭି ନିର୍ମାତା ହିକଭିଜନ ଓ ଡାହୁଆ ଟେକ୍ନୋଲୋଜି ପ୍ରଭାବିତ ହେବେ। କିନ୍ତୁ ଏହି ନିଷ୍ପତ୍ତି ଘରୋଇ ସିସିଟିଭି ନିର୍ମାତାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।ଚୀନର କମ୍ପାନିଗୁଡ଼ିକ ଇଣ୍ଟରନେଟ୍ ସହ ସଂଯୋଗ ହେଉଥିବା ସିସିଟିଭି କ୍ୟାମେରା ଓ ସେହି ଧରଣର ଭିଡିଓ ନିରୀକ୍ଷଣ ଉତ୍ପାଦକୁ ଏପ୍ରିଲ୍ ୧ରୁ ଭାରତରେ ବିକ୍ରି କରିପାରିବେ ନାହିଁ। ସରକାର ଏକ ନୂଆ ସାର୍ଟିଫିକେସନ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।ଭାରତରେ ସିସିଟିଭି ବିକ୍ରି କରିବା ପୂର୍ବରୁ କମ୍ପାନିମାନଙ୍କୁ ପ୍ରଥମେ ସେହି ସାର୍ଟିଫିକେସନ ହାସଲ କରିବାକୁ ପଡ଼ିବ। କାରଣ ତାହା ଜରିଆରେ ବିମାନବନ୍ଦର, ସରକାରୀ କୋଠା ଓ ପରିବହନ ପେଣ୍ଠସ୍ଥଳଗୁଡ଼ିକର ଅନେକ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରାଯାଉଛି।