ଚିଫ୍ ଅଫ୍ ନେଭାଲ୍ ଷ୍ଟାଫ୍ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ୍

ନୂଆଦିଲ୍ଲୀ,୩୧/୦୫:  ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ୍ ଆଜି ଭାରତୀୟ ନୌସେନାର ନୂତନ ମୁଖ୍ୟ ବା ”ଚିଫ୍ ଅଫ୍ ନେଭାଲ୍ ଷ୍ଟାଫ୍” ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଅବସର ଗ୍ରହଣ କରିଥିବା ଆଡମିରାଲ୍ ଦିନେଶ ତ୍ରିପାଠୀଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ନୌସେନା ମୁଖ୍ୟ ଭାବେ ନିଯୁକ୍ତ ହେବା ପୂର୍ବରୁ ଆଡମିରାଲ୍ ସ୍ୱାମୀନାଥନ୍ ପଶ୍ଚିମ ନେଭାଲ୍ କମାଣ୍ଡର ”ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍” ଭାବେ ସେବା ପ୍ରଦାନ କରୁଥିଲେ ।ଭାରତୀୟ ନୌସେନାର ୨୭ ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସାଉଥ୍ ବ୍ଲକ୍ ଲନରେ ତାଙ୍କୁ ଭବ୍ୟ ଏବଂ ପାରମ୍ପରିକ ”ଗାର୍ଡ ଅଫ୍ ଅନର” ପ୍ରଦାନ କରାଯାଇଥିଲା, ଯେଉଁଠାରେ ତାଙ୍କ ପତ୍ନୀ ଓ ଦୁଇ କନ୍ୟା ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ମିଡିଆକୁ ଦେଇଥିବା ନିଜର ପ୍ରଥମ ସମ୍ବୋଧନରେ ନୂତନ ନୌସେନା ମୁଖ୍ୟ ଭାରତୀୟ ସେନାର ମିଳିତ ସମନ୍ୱୟ, ”ଆତ୍ମନିର୍ଭରଶୀଳତା” ଓ ପ୍ରତିରକ୍ଷା ଉପକରଣର ସ୍ୱଦେଶୀକରଣ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଏବଂ ଏହା ତାଙ୍କ କାର୍ଯ୍ୟକାଳର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *