ନୂଆଦିଲ୍ଲୀ,୧୨/୦୯: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜିଠୁ ଆରମ୍ଭ ହୋଇଛି ବ୍ରିକ୍ସର ୧୮ତମ ଶିଖର ସମ୍ମିଳନୀ। ଭାରତର ଆତିଥ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ୧୧ଟି ସଦସ୍ୟ ଦେଶର ପ୍ରମୁଖ ନେତା। ବିଶ୍ବ ରାଜନୀତିରେ ଜଟିଳ ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା-ଚୀନ୍ ତିକ୍ତତା ଭିତରେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେପଟେ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।
ବ୍ରିକ୍ସ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା, ଇରାନ, ମାଲେସିଆ, ଇଣ୍ଡୋନେସିଆ, ଆବୁଧାବି, ଇଥିଓପିଆ, ଇଜିପ୍ଟ ଆଦି ଦେଶର ଶୀର୍ଷନେତା ଏବଂ ଜାତିସଂଘ, ବିଶ୍ୱ ବାଣିଜ୍ୟ ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଦିର ମୁଖ୍ୟ ବି ସାମିଲ ହୋଇଛନ୍ତି ।
ଏହି ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଗୃହିତ ହୋଇଛି ଦିଲ୍ଲୀ ଘୋଷଣାପତ୍ର । ଯେଉଁଥିରେ ବ୍ରିକ୍ସ ରାଷ୍ଟ୍ରସମୂହଙ୍କ ଏକତା, ସହଯୋଗ ଓ ସାମୂହିକ ବୁଝାମଣାକୁ ଦିଆଯାଇଛି ଗୁରୁତ୍ୱ । ଏଥିସହ ନିଜ ଉଦବେଧନରେ ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆତଙ୍କବାଦର ନିନ୍ଦା, ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ସମୁଦ୍ରପଥ ଓ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବା ସହ, ଜାତିସଂଘ ସୁରକ୍ଷା ପରିଷଦର ଢାଞ୍ଚାଗତ ସଂସ୍କାର ପ୍ରସଙ୍ଗ ଉଠାଇଛନ୍ତି । ମାନବତା ପ୍ରଥମ କହି ବିଶ୍ୱନେତାଙ୍କୁ ସମ୍ବୋଧନ କରିଛନ୍ତି ମୋଦୀ । ବ୍ରିକ୍ସ କାହା ବିରୋଧରେ ନୁହେଁ, ସମସ୍ତଙ୍କ ସହ ରହିଛି ବୋଲି ବିଶ୍ୱକୁ ବାର୍ତ୍ତା ଯାଇଛି । ଆଗାମୀ ୨୦ବର୍ଷ ଏଜେଣ୍ଡା ଲକ୍ଷ୍ୟରେ କାମ କରିବ ବ୍ରିକ୍ସ ।