ଭୁବନେଶ୍ୱର,୦୮/୦୫: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ମାରିଦେଲେ । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା। ଆକ୍ରମଣକାରୀଙ୍କୁ ଖୋଜି ଖୋଜି ଥାନାକୁ ଉଠାଇ ଆଣିଥିବା ବେଳେ ଏହାକୁ ନେଇ ବାଲିଅନ୍ତା ଥାନା ପରିସରରେ ପୋଲିସ ସହ ଧସ୍ତାଧସ୍ତି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଯୁବତୀ ଏକ ସ୍କୁଟିରେ ବେଣୁପୁରରୁ ଭିଙ୍ଗର ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯୁବତୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମାନବିକତା ଭୁଲି ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ତାଙ୍କୁ ଜବରଦସ୍ତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ଯୁବକମାନେ ଦୁଇ ଯୁବକଙ୍କୁ ପ୍ରଥମେ କାବୁ କରିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଚିକିତ୍ସା ପାଇଁ ଯୁବକଙ୍କୁ ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିସନ ଅଧ୍ୟକ୍ଷା ।