ସରିଲା ଜନ୍ମବେଦିରେ ଲୀଳାଖେଳା, ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାବାହୁ

ଭୁବନେଶ୍ୱର,୨୩/୦୭: ସରିଲା ଜନ୍ମବେଦିରେ ଲୀଳାଖେଳା । ରାତି ପାହିଲେ ବାହୁଡ଼ା ଯାତ୍ରା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି । ଏଥିପାଇଁ ନୀତି ନିର୍ଘଣ୍ଟ ହେବା ସହ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ, ଆଜି ନବମୀରେ ଥିଲା ଦୁର୍ଲଭ ସନ୍ଧ୍ୟାଦର୍ଶନ । ଚଳିତ ବର୍ଷ ପାଇଁ ଆଡ଼ପ ଦର୍ଶନର ଶେଷ ସୁଯୋଗ । ଯାହାକୁ ହାତଛଡ଼ା କରିନଥିଲେ ଶ୍ରଦ୍ଧାଳୁ । ଭାବର ସହରରେ ଆଜି ବି ଥିଲା ଭକ୍ତଙ୍କ ପ୍ରବଳ ସମାଗମ । ଜନ୍ମବେଦୀରେ ଜଗତର ନାଥଙ୍କୁ ପାଖରୁ ଦେଖିବା ପାଇଁ, ଆଜି ଥିଲା ଏବର୍ଷର ଶେଷ ସୁଯୋଗ । ସନ୍ଧ୍ୟା ୬ଟା ଯାଏଁ ଅତି ଶୃଙ୍ଖଳିତ ଭାବେ ଚାଲିଥିଲା ନବମୀ ଦର୍ଶନ ବା ସନ୍ଧ୍ୟା ଦର୍ଶନ। ମନୁଆ ଠାକୁରଙ୍କୁ ମନର କଥା ଜଣାଇବା ସହ, ଆନନ୍ଦମନରେ ପାଇଥିଲେ ଶେଷ ଆଡ଼ପ ଅବଢ଼ା ।

ନୀତି ନିର୍ଘଣ୍ଟ ଅନୁସାରେ, ଭୋର ୪ଟାରେ ହେବ ମଙ୍ଗଳ ଆଳତି । ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ ଲାଗିହେବ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ହେବ ବାହୁଡ଼ା ପହଣ୍ଡି । ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା । ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା । ବାହୁଡାଯାତ୍ରା ଶୃଙ୍ଖଳିତ କରିବା ପାଇଁ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବ । ଆସନ୍ତାକାଲି ସିଂହଦ୍ୱାର ଚକଡ଼ାକୁ ବାହୁଡ଼ିବା ପରେ, ସେଠାରେ ହେବ ସୁନାବେଶ ଓ ଅଧରପଣା । ଏହାପରେ ସୋମବାର ନୀଳାଦ୍ରିବିଜେ କରିବେ ନୀଳାଦ୍ରିନାଥ ।

Leave a Reply

Your email address will not be published. Required fields are marked *