ନୂଆଦିଲ୍ଲୀ,୧୮/୧୦: କୋଲକାତାରେ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଘଟଣା ପରେ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହସ୍ପିଟାଲ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଘଟଣା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହ । ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ମହାସପ୍ତମୀ ସନ୍ଧ୍ୟାରେ ଦେବୀଙ୍କ ଦର୍ଶନ ପାଇଁ ମଣ୍ଡପ ନିକଟରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏହି ସମୟରେ ପେଣ୍ଡାଲର କିଛି ଅଂଶ ଭାଙ୍ଗିପଡ଼ିବା ପରେ ଭିଡ଼ ଭିତରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଅଘଟଣରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣା ପରେ ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ନେଇ ଘୋଷଣା କରାଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ପୂଜାମଣ୍ଡପର ସଭାପତି ଓ ସମ୍ପାଦକଙ୍କ ସମେତ ୧୮ ଜଣଙ୍କୁ ପୋଲିସ ଗିରଫ କରିଛି।