ନୂଆଦିଲ୍ଲୀ,୨୬/୦୭: ନିଟ୍-ୟୁଜି ପେପର ଲିକ୍ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଏହା ପରେ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ପାଇଁ କୌଣସି ପଦଠାରୁ ଦେଶ, ଯୁବପିଢ଼ି ଏବଂ ଛାତ୍ରଛାତ୍ରୀଙ୍କ ହିତ ଅଧିକ ଗୁରୁତ୍ୱପୂର୍ଣ୍ଣ । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସେହି ଆଦର୍ଶର ଏକ ଉଦାହରଣ ବୋଲି ସେ କହିଛନ୍ତି ।ଅମିତ ଶାହ କହିଛନ୍ତି, ମୋଦି ସରକାର ଦେଶର ଯୁବପିଢ଼ିର ଭାବନାକୁ ସମ୍ମାନ କରେ ଏବଂ ପରୀକ୍ଷାରେ ପେପର ଲିକ୍ ଭଳି ଘଟଣାକୁ ରୋକିବା ପାଇଁ କଡ଼ା ସଂସ୍କାର ଆଣିବାକୁ ପ୍ରତିବଦ୍ଧ । ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ସେ ଆହୁରି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବେ ନୂତନ ଜାତୀୟ ଶିକ୍ଷା ନୀତି, ଆଞ୍ଚଳିକ ଭାଷାରେ ପରୀକ୍ଷା, ପିଏମ୍ ଶ୍ରୀ ସ୍କୁଲ, ଡିଜିଟାଲ୍ ଶିକ୍ଷା, ଦକ୍ଷତା ବିକାଶ ଏବଂ ଶିଳ୍ପ-ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ବଢ଼ାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଭାରତକୁ ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ଅମିତ ଶାହ କହିଛନ୍ତି ।