ସୁଦାନରେ ଏକ ସୁନା ଖଣି ଉପରେ ଏୟାର ଷ୍ଟ୍ରାଇକ୍‌ ଘଟଣା, ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ,୧୨/୧୦: ସୁଦାନରେ ଏକ ସୁନା ଖଣି ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସୁଦାନ ଏବଂ ମିଶର ମଧ୍ୟରେ ଥିବା ବିବାଦୀୟ ସୀମା ନିକଟରେ ଏୟାର ଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି। ଇମରଜେନ୍ସି ଲୟାର୍ସ ନାମକ ଏକ ସଂଗଠନ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି, ଏୟାର ଷ୍ଟ୍ରାଇକ୍ ଇଜିପ୍ଟର ବାୟୁସେନା ଦ୍ୱାରା କରାଯାଇଥିଲା। ତେବେ ସଂଗଠନ ନିଜର ଦାବିକୁ ସମର୍ଥନ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ପ୍ରଦାନ କରିନାହିଁ । ଇଜିପ୍ଟ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ବିବୃତି ଜାରି କରିନାହିଁ। ବିମାନ ଆକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କ ଅନୁସାରେ ସେମାନେ ଆକ୍ରମଣ ନେଇ ଭୟଭୀତ ହୋଇଯାଇଥିଲେ । ସେମାନେ ଭୟ କରିଥିଲେ ଯେ ଆଉ ଏକ ବିମାନ ଆକ୍ରମଣ ହୋଇପାରେ। ତେଣୁ ସେମାନେ ପାହାଡ଼ରେ ଲୁଚି ରହିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଲଢୁଆ ବିମାନ ଖଣି ଉପରେ ପାଞ୍ଚ ଥର ବୋମାମାଡ଼ କରିଥିଲା । ଆକ୍ରମଣ ପରେ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭୨ ବୋଲି କୁହାଯାଇଥିଲା, କିନ୍ତୁ ସ୍ଥାନୀୟ ସଂଗଠନଗୁଡ଼ିକ ଅନୁମାନ କରୁଛନ୍ତି ଯେ ଆକ୍ରମଣ ସମୟରେ ହଜାରରେ ଅଧିକ ଲୋକ ଭିନ୍ନ ଭିନ୍ନ ସ୍ଥାନରେ କାମ କରୁଥିଲେ, ତେଣୁ ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *