ଭୁବନେଶ୍ୱର,୧୮/୦୭: ମହାପ୍ରଭୁ ରଥ ଉପରେ ଦର୍ଶନ ଦେବା ପରେ ଏବେ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଛି। ଶରଧାବାଲିରେ ରଥରୁ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ବା ଆଡ଼ପ ମଣ୍ଡପକୁ ବିଜେ କରାଯାଉଛି। ନୀତି ଅନୁଯାୟୀ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ପହଣ୍ଡି ସମ୍ପନ୍ନ ହୋଇଛି। ଏହାପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପାରମ୍ପରିକ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରାଯାଉଛି। ପହଣ୍ଡି ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଶୃଙ୍ଖଳିତ ଭାବେ ଆଡ଼ପ ବିଜେ ନୀତି ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ସେବାୟତ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଡ଼ପ ମଣ୍ଡପ ବିଜେ ନୀତି ଶେଷ ହେବା ପରେ ଆସନ୍ତାକାଲିଠାରୁ ଭକ୍ତମାନେ ଜନ୍ମବେଦୀରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିବା ସହ ଆଡ଼ପ ଅଭଡ଼ା ପାଇବାର ସୌଭାଗ୍ୟ ଲାଭ କରିବେ।