ନୂଆଦିଲ୍ଲୀ,୧୧/୧୧: ଆସାମର ଗୁୱାହାଟୀ ନିକଟସ୍ଥ ଦିଗାରୁରେ ଆଜି ସକାଳେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସର ଇଞ୍ଜିନ ସହ ୬ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାହାକାର ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ, ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ୬ଟି ବଗି ଖସିଯାଇଛି। ଘଟଣାଟି ଦିଗାରୁ ଷ୍ଟେସନ ନିକଟରେ ଘଟିଥିବା କୁହାଯାଉଛି। ନର୍ଥଇଷ୍ଟ ଫ୍ରଣ୍ଟିୟର ରେଳବାଇ ଅନୁସାରେ, ଦୁର୍ଘଟଣାର ଖବର ମିଳିବାମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସେଠାରେ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଟ୍ରେନ ଲାଇନଚ୍ୟୁତ ହେବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ଟ୍ରେନ ବିଳମ୍ବିତ ହେଉଥିବା ସହ କିଛି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଉଛି।