ନୂଆଦିଲ୍ଲୀ,୧୨/୧୧: ମହିଳା ହୁଅନ୍ତୁ କି ପୁରୁଷ ଘରେ ସୁନା ରଖିବାର ନିର୍ଦ୍ଦିଷ୍ଟ ସୀମା ରହିଛି । କିନ୍ତୁ ଏହି ସୀମା ଭିତରେ ସୁନା ରହିଲେ କ’ଣ ତାହାର ଉତ୍ସ ବାବଦରେ କୌଣସି ହିସାବ ଦେବାକୁ ପଡ଼ିବନି? ଏହି ପ୍ରଶ୍ନରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ସ୍ପଷ୍ଟ କରିଛନ୍ତି, ସୁନା ରଖିବାର ଅନୁମତି ଏବଂ ସେହି ସୁନା କେଉଁଠୁ ଆସିଲା ତାହାର ହିସାବ ଦେବା, ଦୁଇଟି ଅଲଗା କଥା। ତେବେ ଜାଣନ୍ତୁ କୋର୍ଟଙ୍କ ଏହି ରାୟର ପୂରା କଥା । ଆୟକର ବିଭାଗର ୧୧ ମେ ୧୯୯୪ର ନିର୍ଦ୍ଦେଶ ଅନୁସାରେ, ବିବାହିତ ମହିଳା ୫୦୦ ଗ୍ରାମ ସୁନା ନିଜ ପାଖରେ ରଖିପାରିବେ। ଅବିବାହିତ ମହିଳାଙ୍କ ପାଇଁ ଏହି ସୀମା ୨୫୦ ଗ୍ରାମ ରହିଛି। ସେହିପରି ପୁରୁଷମାନେ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ରଖିପାରିବେ। ଏହି ନିର୍ଦ୍ଦେଶକୁ ଆଧାର କରି ଜଣେ ମହିଳା ନିଜ ବିରୋଧରେ ଚାଲିଥିବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାକୁ ରଦ୍ଦ କରିବାକୁ ଦାବି କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି, ଏହି ସୀମା ଭିତରେ ସୁନା ରହିବା ମାତ୍ରେ ତାହାର ଉତ୍ସ ବାବଦରେ ହିସାବ ଦେବାରୁ ମୁକ୍ତି ମିଳିବ ନାହିଁ।