ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅର୍ଣ୍ଣବ, ଓଡ଼ିଶା ପ୍ରତି କେତେ ବିପଦ ?

ଭୁବନେଶ୍ୱର,୨୬/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଅର୍ଣ୍ଣବ । ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସତର୍କତା ଜାରି ହୋଇଥିବା ଉଲ୍ଲେଖ ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୬ ଘଣ୍ଟାରେ ବାତ୍ୟାଟି ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ଏହା ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିଲା। ବାତ୍ୟାର କେନ୍ଦ୍ରସ୍ଥଳ ଶ୍ରୀବିଜୟପୁରମ୍‌ଠାରୁ ୫୯୦ କିଲୋମିଟର ଉତ୍ତର-ପଶ୍ଚିମରେ, ବିଶାଖାପାଟଣାଠାରୁ ୬୫୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ଏବଂ କାକିନାଡ଼ାଠାରୁ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ରହିଥିଲା। ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ଅକ୍ଟୋବର ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଏହା ପରେ ୨୭ ଅକ୍ଟୋବରରେ ଅତି ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ଦକ୍ଷିଣ ଉପକୂଳ ଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।

Leave a Reply

Your email address will not be published. Required fields are marked *